ପାଟନା: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର୍) ବିରୋଧରେ ଗୁରୁବାର ପାଟନାରେ ମହାଗଠବନ୍ଧନ ପକ୍ଷରୁ ବିକ୍ଷୋଭ ମାର୍ଚ୍ଚ କରାଯାଇଛି। ଲୋକ ଭବନ ଅଭିମୁଖେ ଯାଉଥିବାବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଆର୍ଜେଡି ସାଂସଦ ମିସା ଭାରତୀ ଏବଂ ଭିଆଇପି ମୁଖ୍ୟ ମୁକେଶ ସାହାଣୀଙ୍କୁ ପୁଲିସ ଅଟକ ରଖିଥିଲା।
ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପାଟନାର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିଲା। ତେଜସ୍ୱୀ ଏକ ବ୍ୟାରିକେଡ୍ ଉପରକୁ ଚଢ଼ି ଆଗକୁ ବଢ଼ିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପରେ ତିନି ନେତାଙ୍କୁ ଲୋକ ଭବନକୁ ନିଆଯାଇଥିଲା। ତେଜସ୍ୱୀ କହିଥିଲେ, ମହାଗଠବନ୍ଧନର ମୁଖ୍ୟ ଦାବି ହେଉଛି ମୁକ୍ତ ଓ ନିରପେକ୍ଷ ନିର୍ବାଚନ। ଏସ୍ଆଇଆର୍ ଯୋଗୁ ବହୁ ସଂଖ୍ୟକ ଭୋଟର ପ୍ରଭାବିତ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛି।
ବିକ୍ଷୋଭ ପୂର୍ବରୁ ପାଟନା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ସହ ପାଣିକାନନ୍ ମୁତୟନ କରାଯାଇଥିଲା ଏବଂ ବହୁ ସଂଖ୍ୟକ ପୁଲିସ ନିୟୋଜିତ ହୋଇଥିଲେ।