ପ୍ରମୁଖ ଖବର

ମଧ୍ୟାହ୍ନଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା ୧ ଟଙ୍କା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଭାଷଣ ଦେବାବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲୋକଙ୍କୁ କୋଭିଡ୍ ମୁହଁକୁ ଠେଲିଦେବାକୁ ଭୀଷଣ ଷଡ଼୍‌ଯନ୍ତ୍ର

0
  • ଲକ୍‌ଡାଇନ୍ ପ୍ରକ୍ରିୟା ଜାରି ରହିଛି, ଅନ୍‌ଲକ୍ ସଂପର୍କରେ ସୂଚନା ଦେବା ପାଇଁ ତରତର ହେଲେଣି ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ ବାବୁ
  • ଗଣମାଧ୍ୟମରେ କୌଣସି ବିଶେଷଜ୍ଞଙ୍କର କାହା ସହିତ ତାଳମେଳ ନାହିଁ, ସରକାର କାହା ସ୍ବାର୍ଥ ପୂରଣ କରିବାକୁ ନିରବ ଅଛନ୍ତି?
  • ଟିକା ପ୍ରଦାନ ନଗଣ୍ୟ, ଏବେ ବି ସଂକ୍ରମଣ ପ୍ରଥମ ପର୍ଯ୍ୟାୟ ଠାରୁ ଅଧିକ ରହିଛି, ମୃତ୍ୟୁ ଗ୍ରାଫ୍‌ ବି ଉପରକୁ ଉପରକୁ ଉଠୁଛି
  • ବେଳ ଥାଉ ଥାଉ ସରକାର ହେଜନ୍ତୁ, ଅନ୍ୟଥା ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ସହିତ ଫେରିଆସିପାରେ କୋଭିଡ୍ ଭୁତାଣୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଡାସବୋର୍ଡ କହୁଛି, ଏବେ ବି ପୁରୀ, ଖୋର୍ଧା, ଜଗତସିଂହପୁର, କଟକ, ଅନୁଗୁଳ, ଯାଜପୁର, ଭଦ୍ରକ, ମୟୂରଭଂଜ ଏବଂ ବାଲେଶ୍ବର ଜିଲ୍ଲା ରେଡ୍ ଜୋନରେ ରହିଛି। ଗତକାଲି ଅର୍ଥାତ୍ ଜୁନ୍ ୧୧ ତାରିଖରେ ୬୭ହଜାର ୧୨୨ ନମୁନା ପରୀକ୍ଷା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ଜଣାଇଛି ଯେ ରାଜ୍ୟରେ ୪ ହଜାର ୮୫୨ ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ପ୍ରଥମ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ବେଳେ ୨୦୨୦ ସେପ୍ଟେମ୍ବର ୨୬ ତାରିଖ ଦିନ ରାଜ୍ୟରେ କରୋନା ଶୀର୍ଷ ଛୁଇଁଥିଲା। ସେଦିନ ରାଜ୍ୟରେ ୪୩୫୬ ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ସରକାରୀ ରେକର୍ଡ କହୁଛି। ଏଥିରୁ ବୁଝାପଡୁଛି, ବର୍ତ୍ତମାନ ମଧ୍ୟ ସ୍ଥିତି ଗମ୍ଭୀର ରହିଛି ଓ ଗତଥର ରେକର୍ଡ ଠାରୁ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଆହୁରି ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ଆଜି ସରକାର ଆଉ ୪୭ ଜଣଙ୍କର ମୃତ୍ୟୁ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ରିପୋର୍ଟ ଧୀରେ ଧୀରେ ଉପରକୁ ଉଠୁଛି। ଏବେ ପ୍ରତିଦିନ ଗୁରୁତର ରୋଗୀ ଅତି ଗୁରୁତର ହୋଇ ଏକ୍‌ମୋ ଚିକିତ୍ସା ପାଇଁ ଅନୁନୟ ବିନୟ କରିବା ଆରମ୍ଭ କଲେଣି।

ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ବା ଉଦ୍‌ବେଗଜନକ ଥିବା ବେଳେ ସରକାର ଅନଲକ୍‌ ପାଇଁ ଏତେ ବ୍ୟସ୍ତ କାହିଁକି ହୋଇପଡ଼ୁଛନ୍ତି? କାହିିଁକି ଅନ୍‌ଲକ୍ କଥା ସୂଚାଇ ଲକ୍‌ଡାଉନକୁ ହୁଗୁଳା କରିଦେବା ପାଇଁ ବାଟ ଖୋଲିଦିଆଯାଉଛି? ସରକାର ଓ ବେସରକାରୀ ବିଶେଷଜ୍ଞମାନେ କେଉଁ ଆଧାରରେ ପ୍ରତିଦିନ ନୂଆ ନୂୁଆ ବୟାନବାଜି କରି ଲୋକଙ୍କ ଭିତରେ ଆତଙ୍କ ବାଣ୍ଚୁଛନ୍ତି ଏବଂ ଅମାନିଆଙ୍କୁ ହୁଗୁଳା କରୁଛନ୍ତି? କାହିଁକି ଓ କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ, ତାଙ୍କ କାର୍ଯ୍ୟାଳୟ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର ତଥା ଏସ୍‌ଆର୍‌ସି, ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଏସବୁ ଦେଖି ନିରବ ରହୁଛନ୍ତି? ଏସବୁ ପ୍ରଶ୍ନ ଏବେ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଆନ୍ଦୋଳିତ କଲାଣି।

କରୋନାରେ ରାଜ୍ୟର ଜୀବନ ଓ ଜୀବିକା ଉଭୟ ବାଜି ଲାଗିଛି। କେତେ ଶୀଘ୍ର ବି ହେଉ ସ୍ଥିତି ନିୟନ୍ତ୍ରଣକୁ ଆସୁ, ଏକଥା ସମସ୍ତେ ଚାହୁଁଛନ୍ତି। ହେଲେ ସରକାର ଲକଡାଉନ୍ କରି ଏହାକୁ କଡ଼ାକଡ଼ି ପାଳନ କରିବା ଲାଗି ରାସ୍ତା ଖୋଲିବା ପରିବର୍ତ୍ତେ ସବୁକିଛି ହୁଗୁଳା କରିଦେବା, ସର୍ବୋପରି ଅନଲକ୍‌ ପାଇଁ ତରତର ହେବା କେଉଁଠି ନା କେଉଁଠି ସୂଚାଉଛି, ରାଜ୍ୟ ପୁଣି ଥରେ ବିପର୍ଯ୍ୟୟ ମୁହଁକୁ ଫେରିଯାଇପାରେ। ଏବେ ବି ହଜାର ହଜାର ସଂକ୍ରମିତ ହୋଇ ପରୀକ୍ଷା କରୁନାହାନ୍ତି ଏବଂ ବେଧଡକ ଭାବେ ଗାଁ ଗଣ୍ଡାରେ କରୋନା ବାଣ୍ଟୁଛନ୍ତି। ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ କଣ ଏ ତଥ୍ୟ ସରକାରଙ୍କ ନଜରକୁ ଆଣୁନି? ଏମିତି ହେଲେ ତୃତୀୟ ପର୍ଯ୍ୟାୟ ବିଳମ୍ବରେ ନୁହେଁ, ବରଂ ଅତି ଶୀଘ୍ର ଆସିଯିବ, ଘାତକ ସାବ୍ୟସ୍ତ ହୋଇପାରେ।

ବିଶେଷଜ୍ଞମାନଙ୍କର ଗୋଟିଏ ପରେ ଗୋଟିଏ ପୂର୍ବାନୁମାନ ଭୁଲ ହେବାରେ ଲାଗିଛି। ପୂର୍ବରୁ କେହି କିଛି ଆକଳନ କରିପାରିଲେନି, ସ୍ଥିତି ବିଷମ ଆଡକୁ ଗତି କଲା। ଏବେ କିନ୍ତୁ ପ୍ରତିଦିନ ଜ୍ୟୋତିଷଙ୍କ ଭଳି ଗଣମାଧ୍ୟମରେ କରୋନାକୁ ନେଇ ନୂଆ ନୂଆ ଭବିଷ୍ୟବାଣୀ କରିବାରେ ଲାଗିଛନ୍ତି।

ରିପୋର୍ଟ କହୁଛି, ଏବେ ଯାଏ ରାଜ୍ୟରେ ଯେତିକି କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ପୁରୁଷ ଏବଂ ୩୬ ପ୍ରତିଶତ ମହିଳା। ୦-୧୪ବର୍ଷ ଭିତରେ ୪୩ ହଜାର ୫୭୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫-୪୦ ବର୍ଷ ମଧ୍ୟରେ ୪ଲକ୍ଷ ୪୭ ହଜାର ୯୯୪ ଜଣ, ୪୧-୬୦ ବର୍ଷ ଭିତରେ ୨ଲକ୍ଷ ୬୮ ହଜାର ୨୦୧ ଏବଂ ୬୦ବର୍ଷ ଉପରେ ୮୨ ହଜାର ୬୯୩ ଜଣ କରୋନା ଆକ୍ରାନ୍ତ ସଂକ୍ରମିତ ହୋଇଛନ୍ତି। ଏହି ତଥ୍ୟରୁ ଜଣାପଡୁଛି ଯେ ୧୫-୪୦ ବର୍ଷ ବୟସ୍କଙ୍କୁ ବେଶୀ ବିପଦ ଆସିଛି। ଏଇଥିପାଇଁ ଯେ ସେମାନେ କର୍ମସଂସ୍ଥାନ କାରଣରୁ ହେଉ କିମ୍ବା ଅମାନିଆ ଭାବେ ବାହାରେ ଅଧିକ ବୁଲୁଥିବା କାରଣରୁ ସଂକ୍ରମିତ ହୋଇଛନ୍ତି। ଅଧିକ ପୁରୁଷ ସଂକ୍ରମିତ ହେବା ପଛରେ ବି ଯୁକ୍ତି ସମାନ।

ଯଦି କୋଭିଡ୍‌ ଟିକାକୁ ସଂକ୍ରମଣ ରୋକିବା କ୍ଷେତ୍ରରେ ଗୋଟିଏ ମାନକ ବୋଲି ଧରାଯାଏ, ତେବେ ରାଜ୍ୟରେ ଏଯାଏ ୬୫ ଲକ୍ଷ ୧୨ ହଜାର ଲୋକ ପ୍ରଥମ ଡୋଜ ନେଇଛନ୍ତି। ମାତ୍ର ୧୧ଲକ୍ଷ ୯୮ ହଜାର ୩୮୧ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସାଢେ ଚାରିକୋଟି ଲୋକଙ୍କୁ ଦୃଷ୍ଟିରେ ରଖି ବିଚାର କଲେ ଏହି ସଂଖ୍ୟା ଅତି ନଗଣ୍ୟ।

ମୁଖ୍ୟମନ୍ତ୍ରୀ ଯେଉଁ ସଂକଳ୍ପ ନେଇଛନ୍ତି, ପ୍ରତିଟି ମଣିଷ ଜୀବନ ମୂଲ୍ୟବାନ। ହେଲେ ତାଙ୍କ ଅଫିସରମାନେ ଲକ୍‌ଡାଉନକୁ ହୁଗୁଳା କରି ଅନ୍‌ଲକ୍ ପାଇଁ ପ୍ରତିଯୋଗିତା କଲାଭଳି ମତମନ୍ତବ୍ୟ ଦେବା କଣ ସୂଚାଉଛି? ଲୋକଙ୍କ ଜୀବନ ସହିତ ଖେଳ ଖେଳିବା ଲାଗି କିଏ କାହିଁକି ସୁଯୋଗ ସୃଷ୍ଟି କରୁଛନ୍ତି?କାହିଁକି ଏସ୍‌ଆର୍‌ସି ଏ ସଂକ୍ରାନ୍ତରେ ନିରବ ରହିଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ଏବଂ ସ୍ବାସ୍ଥ୍ୟ ବିଭାଗର ବଡ଼ ବାବୁ, ବିଶେଷଜ୍ଞମାନଙ୍କର ରାସ୍ତା ଅଲଗା କି?

ଏଠାରେ ଉଲ୍ଲେଖଥାଉକି, କମ୍ ସଂକ୍ରମିତ ଜିଲ୍ଲାରେ ଅନଲକ୍ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ପରେ ଗଣମାଧ୍ୟମରେ ଏହାକୁ ନେଇ ତୁହାକୁ ତୁହା ଖବର ପ୍ରକାଶ ପାଉଛି। ସଂଘର୍ଷ ଭିତରେ ଥିବା ଲୋକମାନେ କିଛି ପରିମାଣରେ ଆଶ୍ବସ୍ତ ହେଉଛନ୍ତି ସତ, କିନ୍ତୁ ଆଉ କିଛି ଅମାନିଆ ଏବେ ସବୁ ସୀମା ସରହଦ ଟପି ପୁଣି ଥରେ ସବୁ ସହରରେ ଗହଳି କରିବା ଆରମ୍ଭ କରିଦେଲେଣି। ଗତ ଦୁଇ ତିନି ଧରି ଭୁବନେଶ୍ବରକୁ ଉଦାହରଣ ଭାବେ ନେଲେ ଯେ କେହି ଜାଣିପାରିବ ଯେ ଲୋକମାନଙ୍କର ଯାତାୟତ ଆପାତତଃ ସ୍ବାଭାବିକ ଭଳି ହେଲାଣି। ଦୋକାନ ବଜାର ବନ୍ଦ କାରଣରୁ ଅନେକ ଆର୍ଥିକ ଦୁଃସ୍ଥିତି ଭିତରେ ଠେଲି ହୋଇଯାଉଥିବା ବେଳେ ରାସ୍ତା ଘାଟରେ ଖଟି, ବାହାରେ ତୁଚ୍ଛା ବୁଲାଚଲା ପାଇଁ ପ୍ରଶାସନ କାହିଁକି ଏବଂ କେଉଁ ପରିସ୍ଥିତିରେ ସୁଯୋଗ ସୃଷ୍ଟି କରୁଛି, ଏକଥା ସରକାରଙ୍କ ନଜରରେ ପଡୁଛି କି ନାହିଁ?

Leave A Reply

Your email address will not be published.