ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ମାଟିର ସୁରକ୍ଷା ପାଇଁ ବାଲେଶ୍ବରରୁ ଉଠିଲା ସ୍ବର

0

ଉଦୟପୁର ସୀମା ବିବାଦର ସ୍ଥାୟୀ ସମାଧାନ ପ୍ରସଙ୍ଗ ନେଇ ତୀବ୍ର ହେଲାଣି ଜନମତ

ସ୍ବାଭିମାନୀ ଓଡ଼ିଆ ଭାବେ ନବୀନଙ୍କ ହସ୍ତକ୍ଷେପ ଲୋଡିଲେ ସାଧାରଣସେବୀ ଗୌତମବୁଦ୍ଧ

ଦିନେ ଓଡ଼ିଆ ଭାଷା ଓ ମାଟିର ସୁରକ୍ଷା ପାଇଁ ବାଲେଶ୍ବରରୁ ଉଠିଥିଲା ସ୍ବର, ଜାଗିଥିଲା ଓଡି଼ଶା

ଭୁବନେଶ୍ବର: ଓଡ଼ିଶା ସୀମା ଉପରେ ପଡୋଶୀ ରାଜ୍ୟର ଦାଦାଗିରି ପ୍ରସଙ୍ଗ ନେଇ ଏବେ ବୁଦ୍ଧିଜୀବୀ ମହଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେଣି। ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବେଠାରୁ ସତର୍କ ହେବା ଲାଗି ସରକାରଙ୍କୁ ଚେତାଇ ଦେଇଛନ୍ତି। ଓଡ଼ିଶାର ଭୂଭାଗକୁ ଦଖଲ କରି ନିଜ ସଂପତ୍ତିରେ ପରିଣତ କରିବା ଲାଗି ପଡୋଶୀ ପଶ୍ଚିମବଙ୍ଗ ସରକାର ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ସେ ସଂପର୍କରେ ବରିଷ୍ଠ ସାମ୍ବାଦିକ ତଥା ସାଧାରଣ ସେବୀ ଗୌତମ ବୁଦ୍ଧ ଦାସ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡିଛନ୍ତି।

ଶ୍ରୀ ଦାସ ଉଦବେଗ ପ୍ରକାଶ କରି କହିଛନ୍ତି, ” ଓଡ଼ିଶା-ପଶ୍ଚିମବଂଗ ସୀମା ଭାରତ-ପାକିସ୍ତାନ ସୀମା ନୁହେଁ। ତେଣୁ କାହିଁକି ଏହାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ? ମୋ ଜାଣିବାରେ ଉଭୟ ରାଜ୍ୟ ନିକଟରେ ସୀମାର ମୂଳ ନକ୍ସା ରହିଛି। ଯଦି ଏହାକୁ ନେଇ କିଛି ବିବାଦ ରହିଛି, ତେବେ ସାଟେଲାଇଟ୍‌ ସର୍ଭେ ଯୋଗେ ଏହାର ପୁନଃନିର୍ଦ୍ଧାରଣ କରାଯାଇ ପାରିବ। ଜିଲ୍ଲାପାଳ କି ଜନପ୍ରତିନିଧି ସ୍ତରରେ ନୁହେଁ; ମୁଖ୍ୟ ଶାସନ ସଚିବ କି ମନ୍ତ୍ରୀସ୍ତରରେ ଆଲୋଚନା କଲେ କିଛି ନା କିଛି ବାଟ ଫିଟିବ। ଏଥିପାଇଁ କେବଳ ରାଜନୈତିକ ଇଚ୍ଛାଶକ୍ତି ଲୋଡ଼ା।”

ଜଣେ ସ୍ଥାନୀୟ ସ୍ବାଭିମାନୀ ଓଡ଼ିଆ ଭାବେ ସେ ଓଡ଼ିଶା ସରକାରଙ୍କୁ ଯୋଡ଼ହସ୍ତରେ ଅନୁରୋଧ କରି କହିଛନ୍ତି, ” ସରକାର ତୁରନ୍ତ ଏହାକୁ ପ୍ରାଥମିକତା ଦେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରନ୍ତୁ। ରାଜ୍ୟର ରାଜସ୍ବ ମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ ଏହି କମିଟିର ନେତୃତ୍ବ ନିଅନ୍ତୁ। ପଶ୍ଚିମବଂଗ ସରକାର ସହିତ ଆଲୋଚନାର ଦିନ ଧାର୍ଯ୍ୟ କରି ସେହି ଉଦୟପୁରରେ ହିଁ ସରଜମିନ ନିରୀକ୍ଷଣ ସହ ଆଲୋଚନା କରନ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ସ୍ଥାୟୀ ସମାଧାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ। ମୁଁ ଭାବୁଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟାଳୟ ଚାହିଁଲେ, ଏହା ସମ୍ଭବ ହୋଇ ପାରିବ। ସବୁଦିନ ପାଇଁ ଉଦୟପୁର ସୀମା ବିବାଦର ଅନ୍ତ ହେବ ଏବଂ ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ସଂପ୍ରୀତି ଓ ସୌହାର୍ଦ୍ଦ ବଜାୟ ରହିବ।”

ଗୋଟିଏ ସମୟରେ ଓଡ଼ିଶାର ସୁରକ୍ଷା ପାଇଁ ବାଲେଶ୍ବର ମାଟିରୁ ଭିନ୍ନ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଫକୀର ମୋହନ ସେନାପତିଙ୍କୁ ଓଡ଼ିଶା ମନେ ରଖିଛି। ଦୀର୍ଘ ବର୍ଷ ପରେ ମାଟି ପାଇଁ ସ୍ଥାନୀୟ ଅ଼ଞ୍ଚଳର ଯୁବବର୍ଗ ସ୍ବର ଉଠାଇବା ଘଟଣା ବୁଦ୍ଧିଜୀବୀ ମହଲକୁ ଆଶ୍ବସ୍ତ କରୁଛି। ତେବେ ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ଏ ପ୍ରସଙ୍ଗରେ ନିରବ ଏକାଠି ହେବା ପରିବର୍ତ୍ତେ ନିରବ ରହିବା ଘଟଣା କମ୍ ଆଶ୍ଚର୍ଯ୍ୟର କଥା ନୁହେଁ।

ଉଲ୍ଲେଖଥାଉକି, ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୀମାକୁ ନେଇ ଲାଗି ରହିଛି ଉତ୍ତେଜନା। କେତେବେଳେ କୋଟିଆରେ ପ୍ରବେଶ କରି ଆନ୍ଧ୍ର ଦାଦାଗିରି ଦେଖାଉଛି ତ ଆଉ କେତେବେଳେ ଉଦୟପୁରରେ ପଶ୍ଚିମବଂଗ ମାଡ଼ି ଆସି ପାଚେରି ନିର୍ମାଣ କରୁଛି। ଗତ କିଛିଦିନ ହେଲା ଉଦୟପୁର ସୀମାରେ ପଶ୍ଚିମବଂଗର ପାଚେରି ନିର୍ମାଣକୁ ନେଇ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି, ଜଣେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆନ୍ଦୋଳିତ କରୁଛି। ନିଜ ଫେସବୁକ୍ ଆକାଉଣ୍ଟରେ ଶ୍ରୀ ଦାସ ଏ ସଂପର୍କରେ ବିସ୍ତୃତ ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଶ୍ରୀ ଦାସ ଲେଖିଛନ୍ତି, ” ଓଡ଼ିଶା-ପଶ୍ଚିମବଂଗର ସୀମାନ୍ତବର୍ତ୍ତୀ ଏକ ଗାଁରେ ‌ମୋ ନିଜ ଘର। ଉଦୟପୁର ଆମ ଘରଠାରୁ ମାତ୍ର ୩/୪ କିମି ଦୂର। ପିଲାବେଳେ ଆମେ ହାଫ୍‌ ପ୍ୟାଣ୍ଟ ପିନ୍ଧି ସାଇକେଲ ଚଳାଇ ଉଦୟପୁର ଓ ଦୀଘାକୁ ମାଛ ଆଣିବାକୁ ଯାଉ। ଏହି ସୀମା ବିବାଦ ବି ମୁଁ ପିଲା ବେଳୁ ଦେଖି ଆସୁଛି। ମୋ ବିଚାରରେ ବିବାଦର ମୂଳ କାରଣ ହେଲା ଉଦୟପୁର ବେଳାଭୂମି। ପଶ୍ଚିମବଂଗର ଦୀଘା ବେଳାଭୂମି କ୍ରମଶଃ ଅଧିକ ସଂକୁୁଚିତ ଓ ଜନାକୀର୍ଣ୍ଣ ହୋଇ ପଡ଼ୁଥିବାବେଳେ ଏଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଉଦୟପୁର ପ୍ରାକୃତିକ ବେଳାଭୂମିର ଶାନ୍ତ ଓ କମନୀୟ ପରିବେଶ ବଂଗୀୟ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ତେଣୁ ଏହା ଉପରେ ‌ଅବୈଧ କବ୍‌ଜା କରିବାକୁ ଚାହୁଛନ୍ତି ପଶ୍ଚିମବଂଗ ସରକାର।”

ତାଙ୍କ ମତରେ, ” ଏହି ବେଳାଭୂମିକୁ ଯାଇଥିବା କଂକ୍ରିଟ୍‌ ରାସ୍ତାର ବହୁଳାଂଶ ଓଡ଼ିଶା ସୀମା ଭିତରେ ରହିଥିଲେ ମଧ୍ୟ ସୀମା ନିର୍ଦ୍ଧ‌ାରଣ ନ କରି ବାରମ୍ବାର ପାଚେରି ନିର୍ମାଣ କରିବାକୁ ଉଦ୍ୟମ କରି ବିବାଦକୁ ଅଧିକ ଜଟିଳ ବି କରୁଛି ପଶ୍ଚିମବଂଗ। ତେବେ ପଶ୍ଚିମବଂଗର ତଥ୍ୟ ଓ ଯୁକ୍ତି ଭିନ୍ନ। ତେଣୁ ଏହି ବିବାଦ ପାଇଁ ପରସ୍ପର ପରସ୍ପରକୁ ଦୋଷାରୋପ କରୁଛନ୍ତି। ସ୍ଥାନୀୟ ବାସିନ୍ଦା ଭାବେ ମୁଁ ଭଲ ଭାବେ ଜାଣେ ଦୁଇ ରାଜ୍ୟର ଏହି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଆମ ଲୋକଙ୍କ ମଧ୍ୟରେ ସଂପର୍କ କେତେ ଘନିଷ୍ଠ ଓ ସୌହାର୍ଦ୍ଦପୂର୍ଣ୍ଣ। ଭାଷା ଓ ରାଜ୍ୟ ଭିନ୍ନ ହେଲେ ବି ସାଂସ୍କୃତିକ ଓ ସାମାଜିକ ଚଳଣି ଦୃଷ୍ଟିରୁ ଦୁଇ ରାଜ୍ୟ ଏକ ଓ ଅଭିନ୍ନ ଲାଗେ।”

ସେ ଆହୁରି ଉଲ୍ଲେଖ କରିଛନ୍ତି, ” ସୀମାର ଉଭୟ ପଟରେ ଆମର ଅନେକ ବନ୍ଧୁବାନ୍ଧବ ଓ ନିକଟ ଆତ୍ମୀୟ ରହୁଛନ୍ତି। ଏବେବି ଉଭୟ ରାଜ୍ୟର ଗାଁଗୁଡ଼ିକରେ ବିଧିବଦ୍ଧ ପ୍ରସ୍ତାବ ପଡ଼ି ବାହାଘର ହେବା ଏକ ନିତିଦିନିଆ ଘଟଣା। ପଡ଼ୋଶୀ ପଶ୍ଚିମବଂଗର ଅଧିକାଂଶ ଲୋକ ଆମ ସହ ଓଡ଼ିଆରେ କଥାବାର୍ତ୍ତା କରନ୍ତି। ଆମ ପଟର ଲୋକେ ବି ସେପଟକୁ ଗଲେ ବଂଗଳାରେ କଥା ହେବାକୁ କୁଣ୍ଠିତ ହୁଅନ୍ତି ନାହିଁ। ଜୀବନ ଜୀବିକା ଦୃଷ୍ଟିରୁ ମଧ୍ୟ ଦୁଇ ରାଜ୍ୟର ଅଧିବାସୀ ପରସ୍ପର ଉପରେ ନିର୍ଭରଶୀଳ। କାହିଁ କେଉଁ କାଳରୁ ଆମ ଅଞ୍ଚଳର ‌ହଜାର ହଜାର ଲୋକ କୋଲକାତା ଯାଇ ବିଭିନ୍ନ କାମ କରୁଛନ୍ତି; କିଛି ତ ସେଠାରେ ଘର କରି ରହିଗଲେଣି।”

ଅନ୍ତଃରାଜ୍ୟ ପର୍ଯ୍ୟଟନ କେନ୍ଦ୍ର ଦୀଘା ସଂପର୍କରେ ଉଲ୍ଲେଖ କରି ଶ୍ରୀ ଦାସ କହିଛନ୍ତି, ” ଏଠାରେ ଆମ ଅଞ୍ଚଳର ବହୁ ଲୋକ ବିଭିନ୍ନ ବେପାର ବା ଚାକିରି କରୁଛନ୍ତି। ଠିକ୍ ସେମିତି ଦୀଘା ବୁଲିବାକୁ ଆସୁଥିବା ବଂଗୀୟ ପର୍ଯ୍ୟଟକ ସୀମା ଏପଟେ ଥିବା ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବର, ଭୁଷ‌ଣ୍ଡେଶ୍ବର ଓ ତାଳସାରି ଓ ଉଦୟପୁର ବେଳାଭୂମି ଦେଖିବାକୁ ଭୁଲନ୍ତି ନାହିଁ। ଖାଲି ସେତିକି ନୁହେଁ, ଚନ୍ଦନେଶ୍ବର ଚଡ଼କ ଯାତ୍ରାରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ବଂଗରୁ ଆସି ଉପବୀତ ଧାରଣ କରନ୍ତି। ଆଉ ଏକ ବଡ଼ କଥା ହେଲା; ପାଖରେ କୋଲକାତା ଥିଲେ ବି ଉନ୍ନତ ଓ ବିଶ୍ବାସଯୋଗ୍ୟ ସ୍ବାସ୍ଥ୍ୟସେବାର ସୁବିଧା ନେବା ଲାଗି ପ୍ରତିଦିନ ଶହଶହ ବଂଗୀୟ ରୋଗୀ କଟକ-ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସନ୍ତି।”

ଉଭୟ ରାଜ୍ୟର ଅଧିବାସୀ ପରସ୍ପରର ଏତେ ଘନିଷ୍ଠ ଓ ଅନ୍ତରଙ୍ଗ ହେଲେ ମଧ୍ୟ ଏହି ସୀମା ବିବାଦ ଦୁଇ ପଡ଼ୋଶୀ ରାଜ୍ୟର ଅଧିବାସୀଙ୍କ ମଧ୍ୟରେ କ୍ରମଶଃ ତିକ୍ତତା ସୃଷ୍ଟି କରୁଛି। ଯଦିଓ ଏ ପର୍ଯ୍ୟନ୍ତ ଏହି ଟକ୍କର ପୁଲିସ ଓ ପ୍ରଶାସନ ସ୍ତରରେ ସୀମିତ ଅଛି, ଥରେ ଏହା ଉଭୟ ରାଜ୍ୟର ଅଧିବାସୀଙ୍କ ସ୍ତରକୁ ସଂକ୍ରମିତ ହୋଇଗଲେ ଅଚିରେ ବିସ୍ଫୋରକ ରୂପ ନେବ। ସୀମା ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ତହସିଲଦାର, ଜିଲ୍ଲାପାଳ ଏବଂ ସ୍ଥାନୀୟ ଜନପ୍ରତିନିଧି ସ୍ତରରେ ଅନେକ ଥର ଆଲୋଚନା ହୋଇଛି; କିନ୍ତୁ ସମାଧାନର ବାଟ ବାହାରି ପାରିନାହିଁ। କିଛିଦିନର ବିରତି ପରେ ପୁଣିଥରେ ବିବାଦ ମୁଣ୍ଡ ଟେକିଛି ଏବଂ ହାତାହାତି, ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଛି। ଏହା ଏକ ବିଡମ୍ବନା ବୋଲି କହି ଶ୍ରୀ ଦାସ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

Leave A Reply

Your email address will not be published.