ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ତଥାପି ବିଜେଡି ବଢୁଛି…

0

ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ରାଜନୀତି କ୍ୟାରିଅରକୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି। କିନ୍ତୁ ନବୀନଙ୍କ ଲୋକପ୍ରିୟତା କମିନି ବରଂ ଅତୁଟ ରହିଛି। ଏକଥା ଆମେ କହୁନାହୁଁ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀ ରାଜନୈତିକ ଦଳର ନେତାମାନେ ଯେଉଁଭଳି ଦଳ ଡିଆଁ ଆରମ୍ଭ କଲେଣି, ତାହା ହିଁ ଏଭଳି ସଙ୍କେତ ଦେଉଛି। କେଉଁ ଦିନ ବିଜେପି ନେତା ମିଶିଲେଣି ତ ଆଉ କେଉଁଦିନ କଂଗ୍ରେସ। ଧୀରେ ଧୀରେ ବିଜେଡିର ଆକାର ବଢିବାରେ ଲାଗିଛି।

ବିଜେଡିର ଆକାର ବୃଦ୍ଧି ସହିତ ବିରୋଧୀ ଦଳ ସଙ୍କୁଚିତ ହେବା ଘଟଣାକୁ ରାଜନୈତିକ ଦଳ ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି ଅକ୍ଷୁର୍ଣ୍ଣ ରହିଛି। ବିରୋଧୀ ଯେତେ ଗର୍ଜନ ତର୍ଜନ କଲେ ବି ତାଙ୍କୁ ସ୍ପର୍ଶ କରିପାରିନାହାନ୍ତି। କେବଳ ସେତିକି ନୁହେଁ, ବିଜେଡିର ରଣନୀତିକାରମାନେ ଯେଉଁଭଳି ଗଣିତ କରୁଛନ୍ତି, ସରକାରୀ ବିରୋଧୀ ସ୍ବରକୁ ନିଷ୍ପ୍ରଭ କରିବା ଲାଗି କସରତ ଚଳାଇ ସଫଳ ହେଉଛନ୍ତି, ତାହା ବି ଯେ କୌଣସି ରାଜନୈତିକ ଦଳ ଅନୁକରଣ କଲାଭଳି ଗୋଟିଏ କଥା। ଉଭୟ କାରଣରୁ ବିଜେଡିର ଶରୀର କ୍ଷୀଣ ହେବା ପରିବର୍ତ୍ତେ ବଢିବାରେ ଲାଗିଛି।

ବିରୋଧୀ ରାଜନୈତିକ ଦଳ ଭାବମୂର୍ତ୍ତି ସଙ୍କଟ ଭିତରେ ଫସିଛନ୍ତି। ସେଥିରୁ ମୁକୁଳିପାରିନାହାନ୍ତି। ବିଜେପିର କେନ୍ଦ୍ରୀୟ ସ୍ତରର ଆଚରଣ ରାଜ୍ୟ ନେତାଙ୍କ ବାଟ ଓଗାଳୁଛି। କଂଗ୍ରେସ ଅନ୍ତଃକନ୍ଦଳ ଏଭଳି ସ୍ଥିତିରେ ପହଞ୍ଚିସାରିଛି ଯେ ସେଥିରୁ ସେମାନେ ମୁକୁଳିବା କାଠିକର ପାଠ। ଅଧାରୁ ଅଧିକ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏବେ ତାର ସତ୍ତା ହରାଇ ସାରିଲେଣି। କଂଗ୍ରେସ ତିିନି ନମ୍ବର ସ୍ଥାନରେ ଥିବା କୁହାଯାଉଥିଲେ ହେଁ, ତାହା ଗୁରୁତ୍ବ ଦେବା ଭଳି ସ୍ତରରେ ନାହିଁ। ସଂପ୍ରତି ପିପିଲି, ବାଲେଶ୍ବର ଉପନିର୍ବାଚନରେ ଦଳର ଭୋଟ ପ୍ରତିଶତ ଦେଖିବା ପରେ ଏକଥା ଆଉ କାହାର ବୁଝିବା ବାକି ନାହିଁ। ରାଜନୀତି ଦୃଷ୍ଟିରୁ ସମ୍ବେଦନଶୀଳ ଉପକୂଳ ଜିଲ୍ଲାମାନଙ୍କରେ ଦଳର ଏଭଳି ସ୍ଥିତି ଚିନ୍ତାଜନକ। ଓଡ଼ିଶାର ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ଦଳର ସଂଗଠନ ଟିକିଏ ଆଖିଦୃଶିଆ ଅଛି। ହେଲେ ଏବେ ସେ ଅଞ୍ଚଳରେ ବି ସଂଗଠନ ଦୁର୍ବଳ ହେବା ଆରମ୍ଭ କଲାଣି।

ଅନ୍ଯପଟରେ ଭାରତୀୟ ଜନତା ପାର୍ଟିରେ ନେତାମାନେ ରହିନପାରିବା ଆଉ ଏକ ଚିନ୍ତାଜନକ ବିଷୟ। ପଞ୍ଚାୟତ ନିର୍ବାଚନରେ ଯେଉଁ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ( ୨୦୧୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ) ବିଜେପି ଶିବିରକୁ ଯାଇଥିଲେ, ସେମାନେ ଧୀରେ ଧୀରେ ବିଜେଡି ଆଡକୁ ମୁହାଁଇଲେଣି। ବିଜେପି ସେମାନଙ୍କୁ ରଖିପାରିନାହିଁ। ମୁଖ୍ୟ କାରଣ ଏୟା ହୋଇପାରେ ଯେ କ୍ୟାଡର ଭିତ୍ତିକ ଏହି ଦଳ ଅନ୍ୟ ନେତାଙ୍କୁ ସାଙ୍ଗରେ ନେବା ଟିକିଏ କଷ୍ଟ। ଦ୍ବିତୀୟତଃ ରାଜ୍ୟ ସଂଗଠନ ବହୁଧା ଗୋଷ୍ଠୀରେ ପରିଣତ ହୋଇଥିବା କାରଣରୁ ଦଳର ନେତାମାନଙ୍କୁ ଯେ କୌଣସି ଗୋଟିଏ ବଡ ଗୋଷ୍ଠୀ ବିରୋଧ କରିବେ ହିଁ କରିବେ। ଏହାକୁ ଯିଏ ପ୍ରତିହତ କରିପାରିବେ, କେବଳ ସେହିମାନେ ତିଷ୍ଠିବେ।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା ହେଲା, ବିଜେଡି ପାଇଁ ଏବେ ଚ୍ୟାଲେଞ୍ଜ ହେଲା, ଏତେ ନେତାଙ୍କୁ କିଭଳି ସେମାନେ ସାଙ୍ଗରେ ନେବେ। ଶାସକ ଦଳରେ ଥିବା କାରଣରୁ ଅନେକଙ୍କୁ ଦଳ ବିଭିନ୍ନ ପଦ ପଦବି ଦେଇ ଥଇଥାନ କରିବାର କ୍ଷମତା ରଖେ। କିନ୍ତୁ ଯେଉଁ ଅଞ୍ଚଳରୁ ନେତାମାନେ ଯୋଗ ଦେଉଛନ୍ତି, ସେ ଅଞ୍ଚଳରୁ ବିଜେଡିକୁ ପ୍ରତିନିଧିତ୍ବ କରୁଥିବା ନେତାମାନେ ଏହାକୁ କିଭଳି ଭାବେ ଗ୍ରହଣ କରୁଛନ୍ତି, ତାହା ଦେଖିବା କଥା।

Leave A Reply

Your email address will not be published.