ପ୍ରମୁଖ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ
ଗୁରୁବାର ରାତିରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ରେଳ ଟିକେଟ୍ ସଂରକ୍ଷଣ
୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର
୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଚମକେଇଦେବା ଭଳି ଜଣେ ନେତା ହେବେ ପିସିିସି ସଭାପତି

0

୨୦୨୪ ନିର୍ବାଚନ ବର୍ଷ କଂଗ୍ରେସ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ସମୟ ହେବ

ପଟ୍ଟନାୟକ ଓ ବିଶ୍ବାଳ ପରିବାର ଆଗକୁ ଆହୁରି ସକ୍ରିୟ ହେବେ

ନେତାଙ୍କ ଦଳବଦଳ ପରେ ବି କଂଗ୍ରେସ ଚର୍ଚ୍ଚାରେ ରହୁଛି, ସକ୍ରିୟ ହେଉଛି

ରାଜନୀତି ପାଣିପାଗ ବଦଳିଲେ, କଂଗ୍ରେସ ଅଧିକ ଫାଇଦାରେ ରହିବ

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିସାରିଲେଣି ଯେ ସେ ଆଉ ନିର୍ବାଚନ ଲଢିବେନାହିଁ। ପୁଅ ମନ୍ମଥ ରାଉତରାୟ ଜଟଣୀରୁ ପ୍ରତିଦ୍ବନ୍ଦ୍ବିତା କରିବେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଯାଏ ଘୋଷଣା ନ କଲେ ବି ସ୍ବାସ୍ଥ୍ୟଗତ କାରଣରୁ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ସେ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବା ଆଶା କ୍ଷୀଣ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗତ ନିର୍ବାଚନ ଆଗରୁ ଘୋଷଣା କରିଥିଲେ, ଆଉ ପ୍ରାର୍ଥୀ ହେବେନାହିଁ। ହେଲେ ୨୦୧୯ ରାଜନୀତି ପାଣିପାଗ ଦେଖି ପ୍ରାର୍ଥୀ ହେଲେ ଓ ଜିତିଲେ ବି। ଆସନ୍ତା ନିର୍ବାଚନରେ କିନ୍ତୁ ଶ୍ରୀ ମିଶ୍ର ଆଉ ପ୍ରାର୍ଥୀ ହେବେ ନାହିଁ।

କେବଳ ଏହି ତିନି ଜଣ ନୁହେଁ, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସୀତାକାନ୍ତ ମହାପାତ୍ର, ଅନନ୍ତ ସେଠୀଙ୍କ ପର୍ଯ୍ୟନ୍ତ ବହୁ ବରିଷ୍ଠ କଂଗ୍ରେସ ନେତା ପ୍ରତ୍ୟକ୍ଷ ରାଜନୀତିରୁ ଉଭାଇଯିବେ। ଏପରି ପରିସ୍ଥିତିରେ ରାଜନୈତିକ ମହଲକୁ ଯେଉଁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଛି, ତାହା ହେଲା- ଓଡ଼ିଶା କଂଗ୍ରେସର ଭବିଷ୍ୟତ କଣ ହେବ? ଦଳ ନୂଆ ନେତାଙ୍କୁ ନେଇ ଆଗକୁ ବଢ଼ିପାରିବ ନା ଅନ୍ୟ ରାଜ୍ୟଭଳି ଦୁର୍ବଳ ହୋଇ ସତ୍ତା ହରାଇବ? ଯଦି କଂଗ୍ରେସ ଆଗକୁ ବଢ଼ିବ, ତେବେ ଏହାର ନେତୃତ୍ବ କିଏ ନେବେ? ରାଜ୍ୟ କଂଗ୍ରେସରେ ବରିଷ୍ଠ ନେତାଙ୍କ ଭିତରେ ନେତୃତ୍ବକୁ ନେଇ ଯେଉଁ କନ୍ଦଳ ଦେଖାଇଦେଇଛି, ତାହା ଅଳ୍ପ ବହୁତେ ପର ପିଢ଼ିକୁ ବି ଛୁଇଁଛି। ଏହା ବଢ଼ିବ ନା କମିବ?

୨୦୨୨ ପ୍ରାକ୍ ପଞ୍ଚାୟତ ସ୍ଥିତି ଯାହା କହୁଛି, ରାଜ୍ୟ କଂଗ୍ରେସ ବଢ଼ିବ କି ଛିଡିବ; ତାହା ପଟ୍ଟନାୟକ ଓ ବିଶ୍ବାଳ ପରିବାର ଉପରେ ହିଁ ନିର୍ଭର କରିବ। ନିରଞ୍ଜନ ପଟ୍ଟନାୟକ ସିନା ପ୍ରତ୍ୟକ୍ଷ ରାଜନୀତିରୁ ଓହରିଯିବେ, ବାଲେଶ୍ବର ଜିଲ୍ଲାରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ନବଜ୍ଯୋତି ପଟ୍ଟନାୟକଙ୍କ ଦବଦବା କିନ୍ତୁ ଆଗକୁ ବଢ଼ିବା ସମ୍ଭାବନା ଉଜ୍ଜଳ। କାରଣ ଅର୍ଥସର୍ବସ୍ବ ରାଜନୀତିରେ ଶ୍ରୀ ପଟ୍ଟନାୟକଙ୍କ ଭୂମିକାକୁ କେହି ଗୌଣ କରିପାରିବେ ନାହିଁ। ପୁଣି ବାଲେଶ୍ବର ଜିଲ୍ଲାରେ ତାଙ୍କର ପଲ୍ଲା ଧୀରେ ଧୀରେ ଭାରି ହେଉଥିବା ପରିପ୍ରେକ୍ଷୀରେ ସେ ଯେ ଆଗକୁ ରାଜନୀତିରେ ସଫଳ ହେବେ, ଏ ସମ୍ଭାବନାକୁ ବି ଆଖିବୁଜି ଏଡ଼ାଇ ଦେଇ ହେଉନାହିଁ। ଅନ୍ୟପଟରେ ଉଭୟ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ ଓ ପୂର୍ବତନ ସାଂସଦ ରଂଜୀବ ବିଶ୍ବାଳ ଅନ୍ୟ ରାଜନୈତିକ ଦଳକୁ ଡେଇଁବା ସମ୍ଭାବନା କମ୍ ଥିବାରୁ ସେମାନେ ମଧ୍ୟ ଗୋଟିଏ ବଡ ଧରଣର ଭୂମିକା ନିର୍ବାହ କରିବେ। ଏଥର ପଞ୍ଚାୟତ ନିର୍ବାଚନ ପରଠାରୁ ଏହି ତିନି ନେତାଙ୍କର ପ୍ରଭାବ ଦଳ ଭିତରେ ପୂର୍ବାପେକ୍ଷା ବୃଦ୍ଧି ପାଇବ ବୋଲି ଗୋଟିଏ ମହଲ ମତ ରଖୁଛନ୍ତି।

ପୁରୀ ଜିଲ୍ଲା କଂଗ୍ରେସର ଭାଗ୍ୟ ପ୍ରସାଦ ହରିଚନ୍ଦନ ସକ୍ରିୟତା ଉପରେ ନିର୍ଭର କରୁଛି। ଆଜି ଦିନରେ ଶ୍ରୀ ହରିଚନ୍ଦନ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ଏପରିକି ନିର୍ବାଚନମଣ୍ଡଳୀରେ ମଧ୍ୟ ସେ ପୂର୍ବଭଳି ସକ୍ରିୟ ନାହାନ୍ତି। ପ୍ରସାଦ ପୂର୍ବତନ ପିସିସି ସଭାପତି ଭାବେ ଗୋଟିଏ ଭାବମୂର୍ତି ରଖିଛନ୍ତି। ହେଲେ ପୁରୀ ଜିଲ୍ଲାକୁ ସକ୍ରିୟ ନକଲେ, ତାଙ୍କ ପାଇଁ ରାଜ୍ୟ ରାଜନୀତିରେ ତିଷ୍ଠିବା କଷ୍ଟସାଧ୍ୟ ହୋଇପାରେ। ସ୍ବାଧୀନତା ସଂଗ୍ରାମ ପରିବାରରୁ ଆସିଥିବା କାରଣରୁ ସେ ଅନ୍ୟ ଦଳକୁ ଡେଇଁଲେ, ତାଙ୍କର ଭାବମୂର୍ତି ଯଥେଷ୍ଟ ପ୍ରଭାବିତ ହେବ। ଖୋର୍ଧା ଜିଲ୍ଲା ରାଜନୀତିକୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଓହ୍ଲାଇପାରନ୍ତି। ନୟାଗଡରେ କଂଗ୍ରେସ ଭାଗ୍ୟରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏପଟେ କଟକରେ ମୋକିମ କଂଗ୍ରେସ ଗଡ ଜଗିବେ। ବାରବାଟୀ-କଟକ ଓ ବାଙ୍କୀ ଆସନରେ କଂଗ୍ରେସ ବିଜେଡିକୁ ଟକ୍କର ଦେବ। ଜଗତସିଂହପୁରରେ ବିଶ୍ବାଳ ପରିବାରର କିଛି ଦବଦବା ରହିବ ଓ ଏଠାରେ କିଛି ଆସନରେ ବିଜେପି ନୁହେଁ ବିଜେଡି-କଂଗ୍ରେସ ପ୍ରତିଦ୍ବନ୍ଦ୍ବିତା ହେବ। କେନ୍ଦ୍ରାପଡାର ଅଧା ଆସନରେ ବିଜେଡି-କଂଗ୍ରେସ ଲଢ଼େଇ ହେବ। ଆଳି, କେନ୍ଦ୍ରାପଡା ଓ ରାଜନଗର ଏଭଳି ଚିତ୍ର ବୟାନ କରୁଛି। ଯାଜପୁରରେ କିନ୍ତୁ ଦଳ ସେଭଳି ପ୍ରଦର୍ଶନ କରିପାରିବ ନାହିଁ। ବାଲେଶ୍ବର ଜିଲ୍ଲାରେ କଂଗ୍ରେସର ପ୍ରଦର୍ଶନ ମୋଟାମୋଟି ଭଲ ରହିବ। ଭଦ୍ରକରେ ବି ଦଳ ପୂରା ବିଲୀନ ହୋଇନପାରେ। ଏପଟେ ଢେଙ୍କାନାଳରେ ଦଳକୁ ଝଟକା ଲାଗିପାରେ। କେନ୍ଦୁଝର ସଂଗଠନ ଜୟଦେବ ଜେନାଙ୍କ ଗୋଟିଚାଳନା ଉପରେ ନିର୍ଭର କରିବ।

ଉଭୟ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ପ୍ରଦର୍ଶନ ସବୁଠାରୁ ଭଲ ରହିବ। ଉଭୟ ଅଞ୍ଚଳରେ ପାଖାପାଖି ୩୦ ଆସନରେ କଂଗ୍ରେସ ଶାସକ ବିଜେଡି ସହିତ ସମ୍ମୁଖ ଲଢେଇକୁ ଆସିବ, ଏକଥା ଏବେଠାରୁ ସଙ୍କେତ ମିଳୁଛି। ଅତଏବ ୨୦୨୪ରେ କଂଗ୍ରେସ ମୁକ୍ତ ଓଡ଼ିଶା ହେବ ନାହିଁ, ବରଂ ଦଳ ଯେତେ ବି ଖରାପ ପରିସ୍ଥିତି ହେଉ ରାଜନୀତି ଗୋଟିଚାଳନା ଭିତରେ ପୂର୍ବାପେକ୍ଷା ଅବଶ୍ୟ ଅଧିକ ଆସନରେ ଜିତିବ, ଏକଥା ରାଜନୈତିକ ମହଲ ପୂର୍ବାନୁମାନ କରୁଛନ୍ତି।

ଏଠାରେ ଉଲ୍ଲେଖଥାଉକି, ମୋକିମଙ୍କ ଠାରୁ ଆରମ୍ଭ କରି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପର୍ଯ୍ୟନ୍ତ ଅନେକ ନେତା ପିସିସି ଆସନ ଉପରେ ନଜର ରଖିଥିଲେ ହେଁ ଶୂନ୍ୟରୁ ଖସିପଡ଼ିବା ଭଳି ଜଣେ ନେତାଙ୍କୁ ଦଳ ପିସିସି ସଭାପତି କରିବ, ଏକଥା ସଙ୍କେତ ମିଳିଲାଣି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଦଳର ଶୀର୍ଷ ନେତା ବା ନୂଆଦିଲ୍ଲୀରୁ ରାଜ୍ୟର କିଛି ବଚ୍ଛା ବଚ୍ଛା ନେତାଙ୍କୁ ଏ ସଂପର୍କରେ ଠାର ମିଳିଲାଣି। ତେବେ କିଏ ଏହି ନେତା, ତାହା କେହି ଠଉରାଇ ପାରୁନାହାନ୍ତି। ଏହାକୁ ନେଇ ଦଳ ଭିତରେ ଟୁପୁରୁଟାପର ଚାଲିଛି।

ଏପଟେ ବିଜେଡି ଓ ବିଜେପି କଂଗ୍ରେସ ଭୋଟ ବ୍ୟାଙ୍କକୁ କ୍ଷତବିକ୍ଷତ କରି ନିଜର ସ୍ଥିତି ବଢ଼ାଇବାକୁ ସିନା ଉଦ୍ୟମ କରୁଛନ୍ତି, ଏହାଦ୍ବାରା ଆଗକୁ ଦଳୀୟ ଅନ୍ତଃକନ୍ଦଳ ବଢ଼ିବ। ଆହୁରି ଗୁରୁତ୍ବପୂ୍ର୍ଣ୍ଣ କଥା ହେଉଛି, ଆମଦାନୀ ନେତାମାନେ ନିଜ ହାତରେ କର୍ମୀଙ୍କୁ ଆଣିପାରୁନାହାନ୍ତି, ଏକଥା ଗତ ନିର୍ବାଚନ ସମୟରୁ ପ୍ରମାଣିତ ହୋଇସାରିଛି। ଏସବୁ ଭିତରେ ଗୋଟିଏ କଥା ସମସ୍ତଙ୍କୁ ଆଶ୍ବସ୍ତ କରୁଛି, କଂଗ୍ରେସ ଦଳରେ ମଧ୍ୟବୟସ୍କ ବା ବରିଷ୍ଠ ସିନା ଦୁର୍ବଳ, କିନ୍ତୁ ଛାତ୍ର ଓ ଯୁବକ ସକ୍ରିୟ ଅଛନ୍ତି ଏବଂ ସେମାନେ ଏଯାଏ କଂଗ୍ରେସ ଆଦର୍ଶକୁ ବାଏ ବାଏ କରିନାହାନ୍ତି। ଏଇଟା ହିଁ ପ୍ରତିପକ୍ଷ ରାଜନୈତିକ ଦଳ ପାଇଁ ଆଗକୁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେବ। କେବଳ ସେତିକି ନୁହେଁ, ରାଜନୈତିକ ପାଣିପାଗ ଆଗକୁ ରାଜ୍ୟ ରାଜନୀତିରେ ଯେମିତି ବି ହେଉନା କାହିଁକି କଂଗ୍ରେସ ଟିକେ ବେଶୀ ଲାଭ ପାଇବ।

Leave A Reply

Your email address will not be published.