ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଗଜପତି ମହାରାଜାଙ୍କ ସହିତ ଯୋଡିହେଲା ବିରଳ ରେକର୍ଡ

0
  • ପାଖାପାଖି ତିନିଶହ ବର୍ଷ ପରେ କୌଣସି ଗଜପତି ପଚାଶ ବର୍ଷ ଧରି ଛେରା ପହଁରା କଲେ
  • ୧୯୭୬ରେ ବିଦେଶରେ ଥିବା ଯୋଗୁଁ ମହାପ୍ରଭୁଙ୍କ ଛେରାପହଁରା କରିପାରିନଥିଲେ ଗଜପତି
  • ୬୮ବର୍ଷୀୟ ଗଜପତିଙ୍କ ସିଂହାସନ ଆରୋହଣକୁ ମଧ୍ୟ ୨୦୨୦ରେ ପଚାଶ ବର୍ଷ ଛୁଇଁଥିଲା

ଭୁବନେଶ୍ବର: ପୁରୀ ଗଜପତି ମହାରାଜାଙ୍କ ସହିତ ଆଜି ଏକ ନୂଆ ରେକର୍ଡ ଯୋଡି ହୋଇଛି। ପାଖାପାଖି ତିନି ଶତାଦ୍ଦୀ ପରେ ସମ୍ଭବତଃ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରଥମ ଯିଏ କି ମହାପ୍ରଭୁଙ୍କର ୫୦ ବର୍ଷ ହେଲା ଛେରାପହଁରା କରିବାର ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ୧୯୭୧ ମସିହାରୁ ଗଜପତି ମହାରାଜା ଛେରାପହଁରା କରିଆସୁଛନ୍ତି। କେବଳ ୧୯୭୬ ମସିହାରେ ଗଜପତି ବିଦେଶରେ ପାଠପଢାରେ ବ୍ୟସ୍ତ ଥିବାରୁ ମହାପ୍ରଭୁଙ୍କ ଛେରାପହଁରା କରିପାରିନଥିଲେ। ୬୮ବର୍ଷୀୟ ଗଜପତି ମହାରାଜା ଦୀର୍ଘ ୫୧ବର୍ଷ ଧରି ମହାପ୍ରଭୁଙ୍କ ସେବାରେ ବ୍ରତୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶ ସ୍ବାଧୀନ ହେବା ପରେ ଶାସନ ବ୍ୟବସ୍ଥାରେ ରାଜା ମହାରାଜାଙ୍କର ଆଉ କୌଣସି ଭୂମିକା ନାହିଁ। ଏହି କ୍ରମରେ ପୁରୀ ଗଜପତି ମହାରାଜା ମଧ୍ୟ ଶାସନ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଭାବେ ଆଉ ନାହାନ୍ତି। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ହେବା ପରଠାରୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ବ ତୁଲାଉଥିଲେ ହେଁ ପ୍ରକୃତ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ହାତରେ ନ୍ୟସ୍ତ ରହିଛି। ଏହା ସତ୍ତ୍ବେ ଗଜପତି ମହାରାଜାଙ୍କ ସହିତ ଶ୍ରୀମନ୍ଦିର ସଂପର୍କ ଅତ୍ୟନ୍ତ ନିବିଡ। ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିରର ଆଦ୍ୟ ସେବକ। କେହି କେହି ତାଙ୍କୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବୋଲି ମଧ୍ୟ କହିଥାନ୍ତି। ବଂଶାନୁକ୍ରମିକ ଭାବେ ଗଜପତି ମହାରାଜା ମହାପ୍ରଭୁଙ୍କ ଏହି ଦୁର୍ଲଭ ସେବାକୁ ଆପଣାଇଥାନ୍ତି।

ଗତ ସାଢେ ଚାରିଶହ ବର୍ଷର ଶ୍ରୀମନ୍ଦିର ଇତିହାସ ପୃଷ୍ଠାକୁ ଖେଳାଇଲେ, ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସୁଛି। ୨୦୨୦ ଗଜପତିଙ୍କ ପାଇଁ ନୂଆ ଉପଲବ୍ଧି ଆଣିଥିଲା। ଶ୍ରୀଜଗନ୍ନାଥପ୍ରେମୀଙ୍କ ପାଇଁ ମଧ୍ୟ ଏକ ବଡ଼ ଖବର ଥିଲା। ପାଞ୍ଚ କି ଦଶବର୍ଷ ନୁହେଁ, ୨୦୨୦ରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ବା ସିଂହାସନ ଆରୋହଣକୁ ୫୦ବର୍ଷ ଛୁଇଁଥିଲା। ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ (ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା। ପାଖାପାଖି ତିନିଶହ ବର୍ଷ ତଳେ ଏପରି ଜଣେ ମହାରାଜା ପଚାଶ ବର୍ଷ ଗଜପତି ଭାବେ ମହାପ୍ରଭୁଙ୍କ ସେବା ଓ ଶାସନରେ ରହିଥିବା ନଜିର ରହିଛି। ଏହା ପରେ ଆଉ କୌଣସି ମହାରାଜାଙ୍କ ଭାଗ୍ୟରେ ଏଭଳି ସୁଯୋଗ ଜୁଟିନାହିଁ। ଆଜି ପୁଣି ଏକ ରେକର୍ଡ କରିଛନ୍ତି ଗଜପତି। ଏବର୍ଷକୁ ମିଶାଇ ୫୦ବର୍ଷ ହେଲା ମହାପ୍ରଭୁଙ୍କ ରଥ ଛେରାପହଁରା କରିଆସୁଛନ୍ତି ଗଜପତି ମହାରାଜା।

ଗଜପତି ବୀର କିଶୋର ଦେବ ( ପ୍ରଥମ) ୧୭୩୬ ମସିହାରେ ସିଂହାସନ ଆରୋହଣ କରିଥିଲେ ଓ ସେ ପ୍ରାୟ ୧୭୯୩ ମସିହା ପର୍ଯ୍ୟନ୍ତ ଦାୟିତ୍ବରେ ଥିଲେ। ସେତେବେଳେ ଅବଶ୍ୟ ରାଜାରାଜୁଡା ଶାସନ ଥିଲା। ଏଣୁ ତାଙ୍କର ବିଶେଷ ଗୁରୁତ୍ବ ଥାଇପାରେ। ୧୫୬୮ ମସିହାରୁ ଏବେ ସୁଦ୍ଧା ଦେଖିଲେ ପାଖାପାଖି ମହାରାଜା ଦିବ୍ୟସିଂହଙ୍କୁ ମିଶାଇ ପାଖାପାଖି ୧୯ ଜଣ ଗଜପତି ମହାପ୍ରଭୁଙ୍କ ସେବା କରି ସାରିଛନ୍ତି। ହେଲେ ଆଉ କାହା ଭାଗ୍ୟରେ ଏପରି ସୁଯୋଗ ଜୁଟିନଥିଲା।

ଛାତ୍ରାବସ୍ଥାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ହିଁ ରାଜାଭିଷେକ ହୋଇଥିଲା। ରାୟପୁର ରାଜକୁମାର କଲେଜରୁ ସେ ଆଇଏସସି ପାସ୍ ପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ (ସମ୍ମାନ)ରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଶେଷ କରି ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ହାସଲ କରିଥିଲେ। ସେ ସମୟରେ ୧୯୭୬ ମସିହା ରଥଯାତ୍ରାରେ ସେ ଭାଗ ନେଇପାରିନଖିଲେ। କିଛି ସମୟ ଧରି ସେ ଓକିଲାତି ପେଶାରେ ମଧ୍ୟ ଥିଲେ। ସେ ସମୟରେ କିନ୍ତୁ ସେ ମହାପ୍ରଭୁଙ୍କ ସେବା ପାଇଁ ପୁରୀ ଆସୁଥିଲେ। ହେଲେ ମହାପ୍ରଭୁଙ୍କ ଆକର୍ଷଣ ଏମିତି ତାଙ୍କୁ ଟାଣିଲା ଯେ ସେ ସବୁକିଛି ଛାଡି ଓଡ଼ିଶା ପ୍ରତ୍ୟାବର୍ତନ କରିବାକୁ ବାଧ୍ୟ ହେଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ କେବଳ ବିନୟୀ, ନମ୍ର , ତାହା ନୁହଁନ୍ତି ବରଂ ଶ୍ରୀଜଗନ୍ନାଥ ସଂସ୍କୃତିର ଆଜି ଜଣେ ବିଶ୍ବସ୍ତରୀୟ ପ୍ରବକ୍ତା। ସନାତନ ଧର୍ମ ସଂପର୍କରେ ଗଜପତିଙ୍କର ବକ୍ତବ୍ୟ ଦୁର୍ଲଭ।

Leave A Reply

Your email address will not be published.